ମିଡିଆ

ରାୟଗଡ଼ା ଆଇଟିଆଇ ସହ ବୁଝାମଣା ପତ୍ର ସ୍ଵାକ୍ଷରିତ

ରାୟଗଡ଼ା ଆଇଟିଆଇ ସହ ବୁଝାମଣା ପତ୍ର ସ୍ଵାକ୍ଷରିତ

ଦକ୍ଷତା ବିକାଶ ଓ ସୁରକ୍ଷାକୁ ଗୁରୁତ୍ୱ ଦେଉଛି ଟିପିଏସ୍ଓଡିଏଲ୍

ବ୍ରହ୍ମପୁର:ଦକ୍ଷତା ବିକାଶ ଓ ସୁରକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ପକ୍ଷରୁ ରାୟଗଡ଼ା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ) ସହ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି । ଏହି କାର୍ଯ୍ୟକ୍ରମ କମ୍ପାନୀର କର୍ପୋରେଟ ଅଫିସରେ ଅନୁଷ୍ଠିତ ହୋଇଥିବା ବେଳେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ ଓ ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରିନ୍ସିପାଲ ଅତୁଲ୍ୟ କୁମାର ପଣ୍ଡା ଉପସ୍ଥିତ ରହି ବୁଝାମଣା ପତ୍ରରେ ଦସ୍ତଖତ କରିଥିଲେ ।

ଏହି ସହଭାଗିତା ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ତାଲିମ ସୁଯୋଗ ଦେବ । ଟିପିଏସ୍ଓଡିଏଲରେ କାର୍ଯ୍ୟକ୍ଷମ ଥିବା ଶିଳ୍ପ ସାପେକ୍ଷ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସମ୍ପର୍କରେ ଛାତ୍ରଛାତ୍ରୀମାନେ ତାଲିମ ନେବେ । ଏହି ସହଭାଗିତା ମାଧ୍ୟମରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ବିକାଶ ଓ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ ପୂର୍ବକ ସେମାନଙ୍କର ତାତ୍ତ୍ଵିକ ଜ୍ଞାନ ଓ ବ୍ୟାବହାରିକ ଜ୍ଞାନ ମଧ୍ୟରେ ଥିବା ପ୍ରଭେଦ ଦୂର କରାଯିବ ।

ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଜରିଆରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ବ୍ୟାବହାରିକ କର୍ମଶାଳା, ହ୍ୟାଣ୍ଡସ- ଅନ ଟ୍ରେନିଂ ସୁବିଧା ସମେତ ଶିଳ୍ପ ସାପେକ୍ଷ ବିଭିନ୍ନ ଜ୍ଞାନକୌଶଳ ସମ୍ପର୍କରେ ଅବଗତ କରାଯିବ । ଯାହାଫଳରେ ପିଲାମାନେ ଦକ୍ଷ ତଥା ଗୁଣାତ୍ମକ କାର୍ଯ୍ୟକ୍ଷେତ୍ରର ମାହୋଲକୁ ଅନୁଭବ କରିପାରିବେ । ପୂର୍ବରୁ କମ୍ପାନୀ ବ୍ରହ୍ମପୁର ଓ ହିଞ୍ଜିଳିକାଟୁସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିସାରିଥିବା ବେଳେ ଏହା ତୃତୀୟ ଚୁକ୍ତିନାମା ଅଟେ ।

ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ କହିଛନ୍ତି ଯେ," ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ସହଭାଗିତାରେ ଆମେ ଦକ୍ଷତା ବିକାଶ ଓ ସୁରକ୍ଷା ଅଭ୍ୟାସକୁ ପ୍ରୋତ୍ସାହିତ କରୁଛୁ । ଅନୁଷ୍ଠାନ ଓ କାର୍ଯ୍ୟକ୍ଷେତ୍ର ମଧ୍ୟରେ ଥିବା ପ୍ରଭେଦକୁ ଦୂର କରିବା ସହ ଭବିଷ୍ୟତର ମାନବ ସମ୍ବଳକୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛୁ । କର୍ମକ୍ଷେତ୍ରରେ ଏକ ସୁରକ୍ଷା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ନେଇ ଆମର ଏଭଳି ପଦକ୍ଷେପ ଜାରି ରହିବ ।"