ବ୍ରହ୍ମପୁର, ମାର୍ଚ୍ଚ ୨୦୨୫:ଚଳିତ ବର୍ଷ ଖରା ଦିନକୁ ଦୃଷ୍ଟିରେ ରଖି ଲୋକଙ୍କୁ ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ବିଭିନ୍ନ ଆଗୁଆ ପଦକ୍ଷେପ ନିଆଯାଉଛି। ଖରା ଦିନେ ବିଦ୍ୟୁତ କାଟ ସମସ୍ୟାକୁ ଏଡ଼ାଇବା ସହ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ ଏହାର ବିଦ୍ୟୁତ ଭିତ୍ତିଭୂମି ଏବଂ ଜରୁରୀକାଳୀନ ରେସପନ୍ସକୁ ସୁଦୃଢ଼ କରୁଅଛି।
ବିଦ୍ୟୁତ ନେଟୱାର୍କରେ ବିଶ୍ୱସନୀୟତା ବୃଦ୍ଧି ପାଇଁ ଟିପିଏସ୍ଓଡିଏଲ୍ ଏହାର ସମସ୍ତ ବିଦ୍ୟୁତ ବିତରଣ ଭିତ୍ତିଭୂମିର ବ୍ୟାପକ ମରାମତି ଓ ରକ୍ଷଣାବେକ୍ଷଣ କାମ କରୁଛି। ଟ୍ରାନ୍ସଫର୍ମର ଏବଂ ଫିଡର୍ ପାଇଁ ଏକ ବ୍ୟବସ୍ଥିତ ଯୋଜନା ପ୍ରସ୍ତୁତ ହେବା ସହ ୩୩ କେଭି ଓ ୧୧ କେଭି ଲାଇନର ସଠିକ୍ କାର୍ଯ୍ୟକାରିତା ସୁନିଶ୍ଚିତ କରାଯାଇଛି। କିଛି ବଡ଼ ସମସ୍ୟା ଉପୁଜିବା ପୂର୍ବରୁ ତ୍ରୁଟି ସୁଧାରିବା ପାଇଁ ବିଭିନ୍ନ ସ୍ଥାନରେ ରକ୍ଷଣାବେକ୍ଷଣ ଟିମ୍ ନିୟୋଜିତ କରାଯାଇଛି। ୨୪×୭ ଘଣ୍ଟା ବିଦ୍ୟୁତ ଉପକରଣରେ ତ୍ରୁଟି ମରାମତି ପାଇଁ ୨୦୦ରୁ ଅଧିକ ରାତ୍ରିକାଳୀନ ବ୍ରେକଡାଉନ୍ ଟିମ୍ ଗଠନ କରାଯାଇଛି। ଯାହା ଫଳରେ ଯଥାଶୀଘ୍ର ଉପଭୋକ୍ତାଙ୍କ ପାଖରେ ବିଜୁଳି ପହଞ୍ଚି ପାରିବ। ଏହାସହ ୩୩ କେଭି ନେଟୱାର୍କର ରକ୍ଷଣାବେକ୍ଷଣ ପାଇଁ କମ୍ପାନୀ ପକ୍ଷରୁ ସ୍ଵତନ୍ତ୍ର ଭାବେ ୨୫୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ଏହା ଦ୍ବାରା ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁରକ୍ଷିତ ଓ ଭରସାଯୋଗ୍ୟ ବିଜୁଳି ଯୋଗାଣକୁ ସୁନିଶ୍ଚିତ କରାଯାଇପାରିବ।
ଏହି ପ୍ରୟାସକୁ ତ୍ବରାନ୍ବିତ କରିବା ପାଇଁ ଟିପିଏସ୍ଓଡିଏଲ୍ ଏହାର କର୍ମଚାରୀମାନଙ୍କୁ ସଶକ୍ତ କରିବା ସହ ଦକ୍ଷ ପରିଚାଳନା ଏବଂ ତ୍ୱରିତ ପ୍ରତିକ୍ରିୟା ସୁନିଶ୍ଚିତ କରିବା ପାଇଁ ୬ଟି ସର୍କଲରେ ୫,୯୦୦ରୁ ଅଧିକ ଫିଲ୍ଡ କର୍ମଚାରୀ ନିୟୋଜିତ ହୋଇଛନ୍ତି। କୌଣସି ତ୍ରୁଟି କିମ୍ବା ସେବାରେ ଉପୁଜୁଥିବା ବାଧାକୁ ଯେପରି ତତ୍ପରତାର ସହ ସମାଧାନ କରାଯାଇପାରିବ, ସେଥିପାଇଁ ବିଭିନ୍ନ ସ୍ଥାନରେ ଆବଶ୍ୟକୀୟ ଉପକରଣ ଓ ଯାନବାହନ ସହ ରକ୍ଷଣାବେକ୍ଷଣ ଟିମ୍ ମୁତୟନ କରାଯାଇଛି। ଇଞ୍ଜିନିୟର ଓ ସୁପରଭାଇଜରଙ୍କ ଏକ ସୁସଂଗଠିତ ଟିମ୍ ଯୋଜନା ଓ କାର୍ଯ୍ୟକାରିତାକୁ ତଦାରଖ କରୁଛନ୍ତି। ତା'ସହ ସେମାନେ ରକ୍ଷଣାବେକ୍ଷଣ କାର୍ଯ୍ୟ ଠିକ୍ ସମୟରେ ଶେଷ ହେବା ଉପରେ ଗୁରୁତ୍ବ ଦେଇ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଶୀଘ୍ର ବିଦ୍ୟୁତ ପୁନଃଯୋଗାଣକୁ ସୁନିଶ୍ଚିତ କରୁଛନ୍ତି। ଏହାବ୍ୟତୀତ ବିଦ୍ୟୁତ ସବଷ୍ଟେସନ ଓ ଫିଡର ଲାଇନର ପରିଚାଳନାକୁ ତଦାରଖ କରିବା ପାଇଁ ଡିଭିଜନ ସ୍ତରରେ ଏକ ଉତ୍ସର୍ଗୀକୃତ ଟିମ୍ ନିୟୋଜିତ କରାଯାଇଛି।
ବ୍ରହ୍ମପୁର ସ୍ଥିତ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର (ପିଏସସିସି) ସମଗ୍ର ଅଞ୍ଚଳରେ ବିଦ୍ୟୁତ ବିତରଣର ରିୟଲ ଟାଇମ୍ ମନିଟରିଂ ଓ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ୨୪×୭ ପରିଚାଳିତ ପିଏସସିସି ମାଧ୍ୟମରେ ୧୫୮ ଟି ସବଷ୍ଟେସନର ସ୍କାଡା ଆଧାରିତ ରିମୋଟ୍ ମନିଟରିଂ ହେଉଅଛି, ଯାହା ଫଳରେ ଶୀଘ୍ର ତ୍ରୁଟି ଚିହ୍ନଟ ଏବଂ ସମାଧାନ କରିବାରେ ଟିପିଏସ୍ଓଡିଏଲ୍ ସକ୍ଷମ ହୋଇପାରିଛି। ସେଣ୍ଟ୍ରାଲ କଣ୍ଟ୍ରୋଲ ରୁମ୍ ଏବଂ ପିଏସସିସିରେ ଥିବା ୨୪ ଘଣ୍ଟିଆ ପାୱାର ବ୍ୟାକଅପ୍ ବ୍ୟବସ୍ଥା ପ୍ରତିକୂଳ ପାଣିପାଗ ସମୟରେ ମଧ୍ୟ ନିରବଚ୍ଛିନ୍ନ ପରିଚାଳନା ସୁନିଶ୍ଚିତ କରିବ। ଏହାବ୍ୟତୀତ ଜୟପୁର, ରାୟଗଡ଼ା, ଫୁଲବାଣୀ ଓ ଭଞ୍ଜନଗରରେ ଥିବା ବିକେନ୍ଦ୍ରୀକୃତ ଏରିଆ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର (ଏପିଏସସିସି) ୧୧ କେଭି ଫିଡର ପରିଚାଳନାରେ ସମନ୍ୱୟ ସୁନିଶ୍ଚିତ କରିବା ସହ ବିଦ୍ୟୁତ ପୁନଃଯୋଗାଣକୁ ତ୍ବରାନ୍ବିତ କରିବ। ଏକ ଉତ୍ସର୍ଗୀକୃତ ୩୩ କେଭି ଅପରେସନ୍ ଡେସ୍କ ବିଶେଷ କରି କାଳବୈଶାଖୀ ଭଳି ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ବିଦ୍ୟୁତ ସେବା ସ୍ଵାଭାବିକ କରିବା ସହ ଶକ୍ତି ବିଶ୍ୱସନୀୟତାକୁ ଆହୁରି ସୁଦୃଢ଼ କରୁଅଛି। ଜରୁରୀକାଳୀନ ପରିସ୍ଥିତିରେ ସମନ୍ୱୟ ବଜାୟ ରଖିବା ପାଇଁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପିଏସସିସି ଅଧିକାରୀ ଏବଂ ସର୍କଲ ମୁଖ୍ୟମାନଙ୍କୁ ସ୍ୟାଟେଲାଇଟ୍ ଫୋନ୍ ଯୋଗାଇ ଦିଆଯାଇଛି, ଯାହା ଫଳରେ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ନିରବଚ୍ଛିନ୍ନ ଯୋଗାଯୋଗ ସୁନିଶ୍ଚିତ ହୋଇପାରିବ।
ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ସମ୍ପୃକ୍ତି ଏବଂ ବିଦ୍ୟୁତ ଯୋଗାଣ ପରିଚାଳନାରେ ସ୍ୱଚ୍ଛତା ସୁନିଶ୍ଚିତ କରି ଗ୍ରାହକ ସେବାକୁ ପ୍ରାଥମିକତା ଦେବା ଜାରି ରଖିଛି । ଏହି ପଦକ୍ଷେପର ଏକ ଅଂଶ ଭାବରେ ୬ଟି ସର୍କଲରେ ଏସଏମଏସ ମାଧ୍ୟମରେ ବିଦ୍ୟୁତ ବିଚ୍ଛିନ୍ନ ହେବା ସମ୍ପର୍କିତ ସୂଚନା ଦିଆଯାଉଛି, ଯାହା ଗ୍ରାହକମାନଙ୍କୁ କୌଣସି ଯୋଜନାବଦ୍ଧ କିମ୍ବା ଅପ୍ରତ୍ୟାଶିତ ବିଦ୍ୟୁତ ବିଛିନ୍ନତା ବିଷୟରେ ଅବଗତ କରିବ। କମ୍ପାନୀ ପକ୍ଷରୁ ଫିଡର ଚାମ୍ପିଅନ୍ସଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି, ଯେଉଁମାନେ କାଳବୈଶାଖୀ ପୂର୍ବରୁ ଏବଂ ପରେ ଗୁରୁତ୍ୱପୂର୍ଣ୍ଣ ୩୩ କେଭି ଏବଂ ୧୧ କେଭି ଫିଡରଗୁଡିକର ତଦାରଖ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଅଛନ୍ତି ।
ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, "ତାପମାତ୍ରା ସାଙ୍ଗକୁ ବିଦ୍ୟୁତ ଚାହିଦା ବଢୁଥିବା ବେଳେ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ଓ ନିରବଚ୍ଛିନ୍ନ ବିଜୁଳି ଯୋଗାଇଦେବାକୁ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ। ଆମର ଭିତ୍ତିଭୂମି ଉନ୍ନତୀକରଣ, ୨୪ ଘଣ୍ଟିଆ ମନିଟରିଂ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ମଧ୍ୟ ଭରସାଯୋଗ୍ୟ ସେବା ସୁନିଶ୍ଚିତ କରିବା ପାଇଁ ଡିଜାଇନ୍ କରାଯାଇଛି । ସୁରକ୍ଷା ଏବଂ ବିଶ୍ୱସନୀୟତା ଉପରେ ପ୍ରାଥମିକତା ଦେବା ସହିତ ଗ୍ରାହକଙ୍କୁ ଗୁଣାତ୍ମକ ସେବା ଯୋଗାଇବା ଦିଗରେ ଆମେ ସମର୍ପିତ।"
ଟିପିଏସ୍ଓଡିଏଲର ଗ୍ରୀଷ୍ମକାଳୀନ ପ୍ରସ୍ତୁତିର ମୂଳରେ ରହିଛି ସୁରକ୍ଷା। ସୁରକ୍ଷା ନିୟମାବଳୀର ତଦାରଖ ଏବଂ ଅନୁପାଳନ ସୁନିଶ୍ଚିତ କରିବା ପାଇଁ କମ୍ପାନୀ ସମସ୍ତ ଡିଭିଜନରେ ବିଏ ସୁରକ୍ଷା ଇଞ୍ଜିନିୟରମାନଙ୍କୁ ନିୟୋଜିତ କରିଛି। ଏକ ସକ୍ରିୟ ଏବଂ ଉପଭୋକ୍ତା କୈନ୍ଦ୍ରିକ ଆଭିମୁଖ୍ୟ ସହିତ କମ୍ପାନୀ ଗ୍ରୀଷ୍ମ ଋତୁର ଆହ୍ୱାନର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ଯାହା ଫଳରେ ଦକ୍ଷିଣ ଓଡ଼ିଶାର ଉପଭୋକ୍ତା, ବ୍ୟବସାୟୀ ଏବଂ ଅତ୍ୟାବଶ୍ୟକ ସେବାଗୁଡିକ ଆବଶ୍ୟକୀୟ ବିଜୁଳି ସୁବିଧା ପାଇପାରିବେ ।