ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା ଅନୁଭୂତି ଯୋଗାଇ ଦେବା ଲକ୍ଷ୍ୟରେ କାର୍ଯ୍ୟକ୍ଷମ
ବ୍ରହ୍ମପୁର, ନଭେମ୍ୱର:ଗ୍ରାହକ ସେବାକୁ ସୁଦୃଢ଼ ଓ ବିଜୁଳି ବିଚ୍ଛିନ୍ନ ସମ୍ପର୍କିତ ଅଭିଯୋଗ ଦାଖଲ ପ୍ରକ୍ରିୟାକୁ ସହଜ କରିବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ନୂଆ କରି ମିସ୍ଡ କଲ୍ ଯୋଗେ ଅଭିଯୋଗ ପଞ୍ଜିକରଣ ସେବା ଆରମ୍ଭ ହୋଇଛି । ଯାହା ଫଳରେ ଉପଭୋକ୍ତାଙ୍କୁ ବିଜୁଳି ସେବା ସମ୍ପର୍କିତ ସୂଚନା ପୂର୍ବାପେକ୍ଷା ସହଜରେ ଉପଲବ୍ଧ ହୋଇପାରୁଛି । ଏହି ମିସ୍ଡ କଲ୍ ସେବା ଜରିଆରେ ଉପଭୋକ୍ତାଙ୍କୁ ତୁରନ୍ତ ଓ ସ୍ୱୟଂଚାଳିତ ପ୍ରତିକ୍ରିୟା ମିଳୁଛି । ଉପଭୋକ୍ତାଙ୍କୁ ଅନାବଶ୍ୟକ ଭାବେ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁନାହିଁ ।
ଟିପିଏସ୍ଓଡିଏଲର ଏହି ମିସ୍ଡକଲ୍ ସେବା ବର୍ତ୍ତମାନ ଆରମ୍ଭ ହୋଇଛି । ବିଜୁଳି ସେବା ବିଚ୍ଛିନ୍ନ ହୋଇଥିଲେ, ଉପଭୋକ୍ତାମାନେ ୯୭୭୭୭୭୪୬୯୯ ନମ୍ୱରରେ ମିସ୍ଡକଲ୍ କରି ସେବା ସମ୍ପର୍କିତ ସମସ୍ତ ବିବରଣୀ ପାଇବା ସହ ଅଭିଯୋଗ ପଞ୍ଜିକରଣ କରାଇପାରିବେ । ଏହି ନମ୍ୱରରେ କଲ୍ କରିବା ପରେ କିଛି ସେକେଣ୍ଡ ମଧ୍ୟରେ ସିଷ୍ଟମ୍ ଆପେ ଆପେ କଲ୍ ବିଚ୍ଛିନ୍ନ କରିନିଏ । ଏହାପରେ ଟିପିଏସ୍ଓଡିଏଲ୍ ପକ୍ଷରୁ ପଞ୍ଜିକୃତ ଉପଭୋକ୍ତାଙ୍କ ନମ୍ୱରକୁ ଏକ ମେସେଜ୍ ଆସିଥାଏ । ଉକ୍ତ ମେସେଜରେ ବିଜୁଳି ବିଚ୍ଛିନ୍ନ ସମ୍ୱନ୍ଧିତ କାରଣ ଓ ପୁନରୁଦ୍ଧାରର ଏକ ଆନୁମାନିକ ସମୟ ଉଲ୍ଲେଖ ରହିଥାଏ । ସେହିଭଳି ବ୍ୟକ୍ତିଗତ ଅଭିଯୋଗ କ୍ଷେତ୍ରରେ ଏକ କନଫରମେସନ୍ ମେସେଜ ଓ ଅଭିଯୋଗ ପଞ୍ଜିକରଣ ନମ୍ୱର ଆସିଥାଏ । ଅନ୍ୟପକ୍ଷରେ, ସମାନ ମୋବାଇଲ ସହ ଲିଙ୍କ୍ ହୋଇଥିବା ଏକାଧିକ ଆକାଉଣ୍ଟଧାରୀ ଉପଭୋକ୍ତା ମାଇଁ ଟାଟା ପାଓ୍ୱାର ଆପ୍ କିମ୍ୱା କମ୍ପାନୀର ଟୋଲ୍ ଫ୍ରି ନମ୍ୱରରେ ଯୋଗାଯୋଗ କରି ଅଭିଯୋଗ ଦାଖଲ କରିପାରିବେ । ସେହିଭଳି ଅଣପଞ୍ଜିକୃତ ମୋବାଇଲ୍ ନମ୍ୱରଧାରୀ ଉପଭୋକ୍ତାମାନେ ଟିପିଏସ୍ଓଡିଏଲ୍ ଆପ୍ କିମ୍ୱା ଟୋଲ୍ ଫ୍ରି ନମ୍ୱରରେ କଲ୍ କରି ନମ୍ୱରକୁ ପଞ୍ଜିକୃତ କରାଇପାରିବେ ।
ଏଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “କମ୍ପାନୀର ଏହି ମିସ୍ଡ କଲ୍ ଯୋଗେ ଅଭିଯୋଗ ଦାଖଲ ବ୍ୟବସ୍ଥା ଉପଭୋକ୍ତା ଯୋଗାଯୋଗ ଓ ସନ୍ତୁଷ୍ଟି କ୍ଷେତ୍ରରେ ଏକ ବଳିଷ୍ଠ ପଦକ୍ଷେପ । ମିସ୍ଡ କଲ୍ ଯୋଗେ ଉପଭୋକ୍ତାଙ୍କୁ ସମୟ ଉପଯୋଗୀ ସୂଚନା ପ୍ରଦାନ କରି ଅଧିକ ସହଜ ଓ ସୁବିଧାଜନକ ସେବା କ୍ଷେତ୍ର ପ୍ରସ୍ତୁତ କରିଛୁ । ଆଗାମୀ ଦିନରେ ମଧ୍ୟ କମ୍ପାନୀ ଉପଭୋକ୍ତା ସଂପ୍ରଦାୟଙ୍କ ସୁବିଧା ପାଇଁ ଏହି ଭଳି ଅଭିନବ ଉଦ୍ୟମ ଜାରି ରଖିବାକୁ ପ୍ରତିବଦ୍ଧ ।“
ଟିପିଏସ୍ଓଡିଏଲ୍ ନିଜର ସମସ୍ତ ଯୋଗାଯୋଗ ଚ୍ୟାନେଲର ବ୍ୟବହାର କରି ଉପଭୋକ୍ତାଙ୍କ ନିକଟରେ ନିଜ ଉପସ୍ଥିତିକୁ ବଢ଼ାଉଛି । ମିସ୍ଡ କଲ୍ ଯୋଗେ ଅଭିଯୋଗ ପଞ୍ଜିକରଣ ସମେତ ଉପଭୋକ୍ତାମାନେ ମାଇଁ ଟାଟାପାୱାର ଆପ୍ ଓ ଟୋଲ୍ ଫ୍ରିନମ୍ବର ୧୯୧୨ ଏବଂ୧୮୦୦-୩୪୫-୬୭୯୭ର ବ୍ୟବହାର ଜାରି ରଖିପାରିବେ।
ମିସ୍ଡ କଲ୍ ସେବା ଉପଭୋକ୍ତାଙ୍କ ଅଭିଯୋଗ ସମ୍ପର୍କିତ ସୂଚନା ପ୍ରଦାନ କ୍ଷେତ୍ରରେ ଏକ ସହଜ ଓ ସମୟ ଉପଯୋଗୀ ସମାଧାନ ଭାବେ କାର୍ଯ୍ୟ କରେ । କଲ୍ ସେଣ୍ଟର ଉପରେ କାର୍ଯ୍ୟଭାର କମାଇବା ସହ ଜଟିଳ ସମସ୍ୟାର ସମାଧାନ ନିମନ୍ତେ କଲ୍ ସେଣ୍ଟର କର୍ମଚାରୀମାନଙ୍କୁ ଅଧିକ ସମୟ ଯୋଗାଇଥାଏ । ଉପଭୋକ୍ତାମାନେ ଯେକୌଣସି ସମୟରେ ଏହି ମିସ୍ଡ କଲ୍ ସେବାର ସୁବିଧା ଉଠାଇ ପାରିବେ । ଟିପିଏସ୍ଓଡିଏଲ୍ ଏହି ଭଳି ଅଭିନବ ଉଦ୍ୟମ ଜରିଆରେ ନିଜର ଉପଭୋକ୍ତାମାନଙ୍କୁ ଭରସାଯୋଗ୍ୟ ବିଜୁଳି ଯୋଗାଣ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ରହିଛି ।