ବ୍ରହ୍ମପୁର, ଅଗଷ୍ଟ:ପାହାଡି ମୁଲକର ଆଦିମ ଜନଜାତି ଲାଞ୍ଜିଆ ସଉରା । ଓଡିଶାର ୧୩ଟି ସ୍ୱତନ୍ତ୍ର ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ(ପିଭିଟିଜି)ଙ୍କ ମଧ୍ୟରେ ସଉରା ଜନଜାତି ଅନ୍ୟତମ । ସେମାନଙ୍କ ଭାଷା ଓ ସଂସ୍କୃତି ବହୁ ପୁରାତନ । ରାୟଗଡା ଜିଲ୍ଲାର ଗୁଣପୁର ବ୍ଳକ ଅନ୍ତର୍ଗତ ପୁଟାସିଂ ଅଞ୍ଚଳରେ ବସବାସ କରନ୍ତି ଲାଞ୍ଜିଆ ସଉରା । କାଳ କାଳ ଧରି ପାରମ୍ପରିକ କୃଷି ଭିତ୍ତିକ ଜୀବିକା ସାଙ୍ଗକୁ ସରଳ ଜୀବନ ଜିଉଁଥିବା ଏହି ଆଦିବାସୀଙ୍କ କୁଟୀରକୁ ଆଲୋକିତ କରୁଛି ଟିପିଏସ୍ଓଡିଏଲ୍ । ବଣ ପାହାଡ ଘେରା ଏହି ଆଦିବାସୀ ଇଲାକାରେ ଆଧୁନିକତାର ଛାପ ପଡିନଥିଲେ ମଧ୍ୟ ପ୍ରତ୍ୟେକ ଆଦିବାସୀ କୁଟୀରରେ ବିଜୁଳି ସୁବିଧା ଅଛି । ବର୍ତ୍ତମାନର ଦୁନିଆରେ ବିଦ୍ୟୁତ ଏକ ଅତ୍ୟାବଶ୍ୟକ ସୁବିଧା ହୋଇଥିବା ବେଳେ, ଲାଞ୍ଜିଆ ସଉରା ଜନଜାତି ଏହି ସୁବିଧା ପାଇବାରୁ ବଞ୍ଚିତ ହୋଇନାହାନ୍ତି । ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍)ର ଉଦ୍ୟମରେ ଆଦିବାସୀଙ୍କ ବସତିରେ ବିଦ୍ୟୁତ ଯୋଗାଣ ହେଉଛି । ପୁଟାସିଂ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଦ୍ୟୁତ ଭିତ୍ତିଭୂମିର ନିୟମିତ ରକ୍ଷଣାବେକ୍ଷଣ କରିବା ସହ ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଉଛି ଟିପିଏସ୍ଓଡିଏଲ୍ ।
ପୁଟାସିଂ ଗ୍ରାମ ପଞ୍ଚାୟତ ଅଧୀନରେ ରହିଛି ସଉରା ଚିତ୍ରକଳା ଗ୍ରାମ ରେଜିଂତାଲ । ଗାଁର ସବୁ ଘରେ ବାହାର କାନ୍ଥରେ ଅଙ୍କାଯାଇଛି ଭଳିକି ଭଳିି ଚିତ୍ର । ନାଲି କାନ୍ଥ ଉପରେ ଧଳା ରଙ୍ଗର ଚିତ୍ର । ସେଥିରେ ଜୀବନ୍ତ ହୋଇଛି ସଉରା ଜନଜାତିର ସଂସ୍କୃତି ଓ ପ୍ରକୃତି ସହ ସେମାନଙ୍କ ନିବିଡତା । ସଉରା ଜନଜାତିଙ୍କ ଏହି ଇଡିତାଲ ଚିତ୍ରକଳାକୁ ଗତ ବର୍ଷ ମିଳିଛି ଜିଆଇ ମାନ୍ୟତା । ଇଡିତାଲ ଚିତ୍ର କିଣିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସନ୍ତି । ଆଦିବାସୀ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ପାରମ୍ପରିକ ଇଡିତାଲ ଚିତ୍ରକଳା ଏବେ ରୋଜଗାରର ମାଧ୍ୟମ ସାଜିଛି । ପେଟପାଟଣା ପାଇଁ ଦିନରେ ସେମାନେ ଯାଆନ୍ତି ଜଙ୍ଗଲ କ୍ଷେତକୁ କିମ୍ବା ହାଟକୁ । ଘରେ ବିଜୁଳି ଆଲୁଅ ଥିବାରୁ ସନ୍ଧ୍ୟାରେ ବସି ଇଡିତାଲ ଚିତ୍ର ଆଙ୍କନ୍ତି ବୋଲି ଏହି ଗାଁର ବରିଷ୍ଠ ସଉରା ଚିତ୍ରଶିଳ୍ପୀ ମଗୁଶୀର ଗମାଙ୍ଗ । ସେ କୁହନ୍ତି, “ଖରା ବର୍ଷା ଯେକୌଣସି ସମୟରେ ବି କିଛି ଅସୁବିଧା ହେଲେ, ଟିପିଏସ୍ଓଡିଏଲ୍ର ଲାଇନମ୍ୟାନ ତୁରନ୍ତ ପହଞ୍ଚି ମରାମତି କରନ୍ତି । ତେଣୁ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିଲେ ମଧ୍ୟ ଆମେ ଅଧିକାଂଶ ସମୟରେ ବିଦ୍ୟୁତ ସୁବିଧା ପାଇପାରୁଛୁ ।”
“ଆମର ପାହାଡ ଜଙ୍ଗଲ ଇଲାକା ହେଲେ ମଧ୍ୟ ଗାଁରେ ବିଜୁଳି ଆଲୁଅ ପହଞ୍ଚିପାରୁଛି । ରାତିରେ ଜଙ୍ଗଲୀ ଜନ୍ତୁଙ୍କ ଭୟ ରହୁନି । ବିଜୁଳି ସୁବିଧା ଥିବା ଯୋଗୁଁ ଆମ ପିଲାମାନେ ରାତିରେ ପାଠ ପଢିପାରୁଛନ୍ତି । କୌଣସି କାରଣରୁ ଲାଇନ କାଟିବା ପୂର୍ବରୁ ଗାଁରେ ବିଦ୍ୟୁତ ବିଭାଗ ଘୋଷଣା କରେ । ଆଉ ଆମେ ସେଥିରୁ ସୂଚନା ପାଉ । ବର୍ଷା ଝଡ ସମୟରେ ମଧ୍ୟ ତୁରନ୍ତ ମରାମତି କାମ ସାରି ଠିକ ସମୟରେ ଆମକୁ ବିଜୁଳି ଯୋଗାଇଦିଅନ୍ତି ।” ଗାଁରେ ଉପଲବ୍ଧ ଥିବା ବିଦ୍ୟୁତ ସୁବିଧାକୁ ନେଇ ଏଭଳି କହିଛନ୍ତି ଲାଞ୍ଜିଆ ସଉରା ଜନଜାତି ଅଧ୍ୟୁଷିତ ପୁଟାସିଂ ଅଞ୍ଚଳର ରେଜିଂତାଲ ଗ୍ରାମର ବିନୋଦ ଶବର ।
ପୁଟାସିଂ ଗ୍ରାମ ପଞ୍ଚାୟତରେ ୭ଟି ଗ୍ରାମରେ ୨୮ଟି ଛୋଟ ଛୋଟ ଜନବସତି ରହିଛି । ଏହି ପଞ୍ଚାୟତରେ ପ୍ରାୟ ୧୨ ହଜାରରୁ ଅଧିକ ଲୋକ ବାସ କରନ୍ତି । ହାଟ ବଜାର ପାଇଁ ପୁଟାସିଂ ଉପରେ ନିର୍ଭର କରନ୍ତି ସ୍ଥାନୀୟ ବାସିନ୍ଦା । ଗାଁରେ ବିଜୁଳି ଥିବାରୁ ସନ୍ଧ୍ୟା ପରେ ବି ଯିବା ଆସିବା କରିବାରେ ଏବଂ ବେପାର କରିବାରେ ଲୋକଙ୍କୁ ସୁବିଧା ହେଉଛି, କୌଣସି ଭୟ ରହୁନି ବୋଲି କହିଛନ୍ତି ପୁଟାସିଂ ସରପଞ୍ଚ ଏସିଆ ଶବର । ସେ ଆହୁରି କହିଛନ୍ତି, “ପୁଟାସିଂ ଅଧୀନରେ ଥିବା ସବୁ ଗାଁର ଲୋକ ନିୟମିତ ବିଜୁଳି ସୁବିଧା ପାଉଛନ୍ତି । ସେଥିରେ ଆମର କିଛି ଅସୁବିଧା ନାହିଁ । ଲାଇନ ମ୍ୟାନ ଏବଂ ଟିପିଏସ୍ଓଡିଏଲ୍ ଟିମ୍ ମଧ୍ୟ ସବୁବେଳେ ତତ୍ପର ହୋଇ କାମ କରୁଛନ୍ତି ।” ଦୁର୍ଗମ ଅଞ୍ଚଳ ହୋଇଥିଲେ ବି ସେମାନେ ନିୟମିତ କେବୁଲ ଲାଇନ ଏବଂ ବିଦ୍ୟୁତ ଭିତ୍ତିଭୂମିର ରକ୍ଷଣାବେକ୍ଷଣ କରୁଛନ୍ତି ବୋଲି କହିବା ସହ ଟିପିଏସ୍ଓଡିଏଲ୍କୁ ଧନ୍ୟବାଦ ଜଣାଇଛନ୍ତି ସରପଞ୍ଚ ଏସିଆ ଶବର ।
ଗୁଣପୁର ସହରଠାରୁ ୨୫ କିମି ଦୂରରେ ଥିବା ପୁଟାସିଂ ଗ୍ରାମ ପଞ୍ଚାୟତକୁ ଅଣଓସାରିଆ ପାହାଡିଆ ଘାଟି ରାସ୍ତା ଦେଇ ଯିବାକୁ ପଡେ । ଘଞ୍ଚ ଜଙ୍ଗଲ ଭିତରେ ପାହାଡରେ ବିଭିନ୍ନ ସ୍ଥାନରେ ଲାଞ୍ଜିଆ ସଉରାଙ୍କ ଛୋଟ ଛୋଟ ଗାଁ । ପାହାଡରେ ଅତି ଉଚ୍ଚରେ ଥିବା ଗାଁଗୁଡିକରେ ମଧ୍ୟ ବିଜୁଳି ସୁବିଧା ପହଞ୍ଚିପାରିଛି । ୨୦୨୧ ମସିହାରେ ବିଦ୍ୟୁତ ସମ୍ବନ୍ଧୀୟ ସେବା ଯୋଗାଇବା ପାଇଁ ପୁଟାସିଂରେ ଟିପିଏସ୍ଓଡିଏଲ୍ର ଏକ ଫ୍ୟୁଜ୍ କଲ୍ ସେଣ୍ଟର(ଏଫ୍ସିସି) ମଧ୍ୟ ସ୍ଥାପିତ ହୋଇଥିଲା । ଓଡିଶାରେ ବସବାସ କରୁଥିବା ବିଭିନ୍ନ ଜନଜାତିଙ୍କ ମଧ୍ୟରେ ସାନ୍ତାଳିଙ୍କ ବ୍ୟତୀତ କେବଳ ସଉରାଙ୍କ ନିଜସ୍ୱ ଲିପି ଓ ଭାଷା ରହିଛି, ଯାହାକୁ ସମ୍ପେଙ୍ଗ କୁହାଯାଏ । ସେଠାରେ ଲାଞ୍ଜିଆ ସଉରା ସମ୍ପ୍ରଦାୟର କର୍ମଚାରୀ ଓ ଲାଇନମ୍ୟାନ ନିୟୋଜିତ ଅଛନ୍ତି, ଯେଉଁମାନେ ସ୍ଥାନୀୟ ଅଞ୍ଚଳ ସହ ଭଲଭାବେ ପରିଚିତ ଥିବା ସହ ସଉରା ଭାଷା ମଧ୍ୟ ଜାଣନ୍ତି । ଯାହାଫଳରେ ସ୍ଥାନୀୟ ଉପଭୋକ୍ତାଙ୍କ ସହ ଯୋଗାଯୋଗରେ ଅସୁବିଧା ହୁଏ ନାହିଁ ।
ତେବେ ଏଭଳି କଷ୍ଟସାଧ୍ୟ ଅଞ୍ଚଳରେ ବିଜୁଳି ସେବା ଯୋଗାଇବା ସହଜ କାମ ନୁହେଁ ବୋଲି କୁହନ୍ତି ପୁଟାସିଂରେ ଲାଇନମ୍ୟାନ-ସି ଭାବେ କାର୍ଯ୍ୟରତ ଆଶ୍ରମ ଗମାଙ୍ଗ । ସେ ଆହୁରି କହିଛନ୍ତି, ପାହାଡି ଜଙ୍ଗଲ ଇଲାକାରେ ଅତି ଉଚ୍ଚ ସ୍ଥାନକୁ ଶିଡି ତଥା ଅନ୍ୟାନ୍ୟ ବିଦ୍ୟୁତ ଉପକରଣ ଧରି ଯିବା ବେଳେ ବହୁତ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡେ । ବିଶେଷ କରି ଝଡ ବର୍ଷା ସମୟରେ କାମ କରିବା ଆହୁରି କଷ୍ଟକର । ତଥାପି ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇବା ପାଇଁ ଆମ ଟିପିଏସ୍ଓଡିଏଲ୍ ଟିମ ସବୁବେଳେ ତତ୍ପର ଥାଏ । ଟିପିଏସ୍ଓଡିଏଲ୍ରେ ବିଦ୍ୟୁତ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ତେଣୁ ଯେକୌଣସି କାମ କରିବା ପୂର୍ବରୁ ପ୍ରଥମେ ସୁରକ୍ଷା ନିୟମାବଳୀର ପାଳନ ସହ ସୁରକ୍ଷା ଉପକରଣ ବ୍ୟବହାର କରୁ ବୋଲି କୁହନ୍ତି ଲାଇନମ୍ୟାନ ଗମାଙ୍ଗ ।
ଟିପିଏସ୍ଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “କେବଳ ପୁଟାସିଂ ଅଞ୍ଚଳ ନୁହେଁ, ବରଂ ସମଗ୍ର ଦକ୍ଷିଣ ଓଡିଶାରେ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ପାଇଁ କମ୍ପାନୀ ଅନବରତ ପ୍ରୟାସ ଜାରି ରଖିଛି । ପୁଟାସିଂର ଜଙ୍ଗଲ ଘେରା ପାହାଡ ଉପତ୍ୟକାରେ ବସବାସ କରୁଥିବା ଲାଞ୍ଜିଆ ସଉରା ଜନଜାତିଙ୍କ ପାଖରେ ବିଜୁଳି ସେବା ଭଳି ଜରୁରୀକାଳୀନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଟିପିଏସ୍ଓଡିଏଲ୍ ସମର୍ପିତ ମନୋଭାବ ନେଇ କାମ କରୁଛି ।’’
ଦକ୍ଷିଣ ଓଡିଶାର ବିଦ୍ୟୁତ ଭିତ୍ତିଭୂମିର ଉନ୍ନତିକରଣ ସହ ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ରହିଛି । ସ୍ଥାନୀୟ ଗୋଷ୍ଠୀର ସଶକ୍ତିକରଣ ସହ ବିଦ୍ୟୁତ ସୁରକ୍ଷା ଉପରେ କମ୍ପାନୀର ପ୍ରାଥମିକତା ରହିଛି । ଯାହାର ଫଳସ୍ୱରୂପ ପୁଟାସିଂ ଭଳି ଦକ୍ଷିଣ ଓଡିଶାର ଅନେକ କଷ୍ଟସାଧ୍ୟ ଅଞ୍ଚଳରେ ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଇବା ସମ୍ଭବପର ହୋଇପାରିଛି ।