ମିଡିଆ

ନୂଆ ୩୩ କେଭି ଲାଇନ ସହ ବିଜୁଳି ଯୋଗାଣକୁ ସୁଦୃଢ଼ କଲା ଟିପିଏସ୍ଓଡିଏଲ୍

ନୂଆ ୩୩ କେଭି ଲାଇନ ସହ ବିଜୁଳି ଯୋଗାଣକୁ ସୁଦୃଢ଼ କଲା ଟିପିଏସ୍ଓଡିଏଲ୍

ଗଞ୍ଜାମର ୩ଟି ବ୍ଲକର ୧୩ଟି ପଞ୍ଚାୟତରେ ଭରସାଯୋଗ୍ୟ ବିଜୁଳି ସେବା ସୁନିଶ୍ଚିତ

୧୬ ହଜାରରୁ ଅଧିକ ଉପଭୋକ୍ତା ଉପକୃତ

ବ୍ରହ୍ମପୁର:ଭରସାଯୋଗ୍ୟ ତଥା ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଏକ ନୂଆ ୩୩ କେଭି ଲାଇନ ସ୍ଥାପନ କରିଛି । ଗଞ୍ଜାମ ଜିଲ୍ଲା ଆସିକା ନୂଆ ଗ୍ରୀଡ୍ ସବଷ୍ଟେସନଠାରୁ ନୂଆଗାଁ ପ୍ରାଇମେରୀ ସବଷ୍ଟେସନ ପର୍ଯ୍ୟନ୍ତ ଏହି ନୂଆ ଲାଇନ ଟଣା ଯାଇଛି । ଏହି ନୂତନ ଲାଇନରୁ ଗଞ୍ଜାମ ଜିଲ୍ଲା ଆସିକା, ଶେରଗଡ଼, ଓ ପୁରୁଷୋତ୍ତମପୁର ବ୍ଲକର ୧୩ଟି ଗ୍ରାମପଞ୍ଚାୟତର ୧୬ ହଜାରରୁ ଅଧିକ ଉପଭୋକ୍ତା ଉପକୃତ ହେଉଛନ୍ତି ।

ନୂଆଗାଁ ପ୍ରାଇମେରୀ ସବଷ୍ଟେସନକୁ ନୂଆ ଲାଇନ ଟଣା ଯିବା ପୂର୍ବରୁ ଆସିକା ପୁରୁଣା ଗ୍ରୀଡ୍ ଷ୍ଟେସନରୁ ବିଜୁଳି ସେବା ମିଳୁଥିଲା । ଏବେ ନୂଆ ଲାଇନ ଅପେକ୍ଷାକୃତ ଭାବେ ଅଧିକ ଭରସାଯୋଗ୍ୟ ବିଜୁଳି ସେବା ପ୍ରଦାନ କରୁଛି । ସେହି ଭିତରେ ଆସିକା ବ୍ଲକର ନୂଆଗାଁ, ବଡ଼ଖୋଲି, ପାଣ୍ଡିଆପଥର, ସିଧନଇ, ଖରିଆ, ବରଗାଁ, ଜୟପୁର, ହରିଡ଼ାପଦର, ବାବନପୁର, ଭେଟନଇ, ଅଲ୍ଲିପୁର, ଶେରଗଡ଼ ବ୍ଲକର ବ୍ରାହ୍ମଣଛାଇ, ପୁରୁଷୋତ୍ତମପୁର ବ୍ଲକର ଟଙ୍କଛାଇ ଗ୍ରାମପଞ୍ଚାୟତ ସାମିଲ ରହିଛି ।

ପାଖାପାଖି ୫.୫ କିଲୋମିଟର ପରିବ୍ୟାପ୍ତ ଏହି ନୂତନ ଲାଇନ ବର୍ଦ୍ଧିତ ବିଜୁଳି ଚାହିଦାକୁ ମେଣ୍ଟାଇବାରେ ସକ୍ଷମ । ଏହା ସହ ବିଜୁଳି ଯୋଗାଣର ସ୍ଥିରତାକୁ ମଧ୍ୟ ବୃଦ୍ଧି କରିବାରେ ସମର୍ଥ । ନୂଆ ଲାଇନ କାରଣରୁ ସଂପୃକ୍ତ ଅଞ୍ଚଳରେ ଲାଗି ରହିଥିବା ଲୋ-ଭୋଲଟେଜ୍ ସମସ୍ୟା ଓ ବିଦ୍ୟୁତ ବାଧାପ୍ରାପ୍ତଜନିତ ସମସ୍ୟା ମଧ୍ୟ ଦୂର ହୋଇପାରିଛି । ସେହିଭଳି ଆସିକା ପୁରୁଣା ଗ୍ରୀଡ୍ ସବଷ୍ଟେସନରେ କୌଣସି ସମସ୍ୟା ଦେଖାଦେଲେ ଆଗଭଳି ବିଜୁଳି ପ୍ରବାହ ପ୍ରଭାବିତ ହେବ ନାହିଁ । ଉପଭୋକ୍ତାମାନେ ନୂତନ ଗ୍ରୀଡରୁ ଟଣାଯାଇଥିବା ୩୩ କେଭି ଲାଇନ ଯୋଗେ ନିରବଚ୍ଛିନ୍ନ ବିଜୁଳି ସେବା ପାଇପାରିବେ ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, "ଉପଭୋକ୍ତାଙ୍କୁ ବିଶ୍ୱସନୀୟ ଓ ଉଚ୍ଚ ମାନର ବିଜୁଳି ସେବା ଯୋଗାଇ ଦେବା ଆମର ସର୍ବୋଚ୍ଚ ପ୍ରାଥମିକତା । ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ୩୩ କେଭି ଲାଇନ୍ ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ବଡ଼ ପଦକ୍ଷେପ । ବର୍ଦ୍ଧିତ ଶକ୍ତି ଚାହିଦାକୁ ମେଣ୍ଟାଇବା ସହ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କମ୍ପାନୀ ନିଜର କ୍ରମାଗତ ପ୍ରୟାସ ଜାରି ରଖିଛି । "

ଏହି ଭିତ୍ତିଭୂମି ବିକାଶ ଟିପିଏସ୍ଓଡିଏଲର ବର୍ଦ୍ଧିତ ଶକ୍ତି ଚାହିଦାର ସମାଧାନ କ୍ଷେତ୍ରରେ ଥିବା ସମର୍ପଣ ଏବଂ ଭିତ୍ତିଭୂମିର ଉନ୍ନତି ପାଇଁ ଜାରି ରହିଥିବା ପ୍ରତିବଦ୍ଧତାକୁ ସୂଚାଉଛି ।