ବ୍ରହ୍ମପୁର, ଜୁଲାଇ:ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ପକ୍ଷରୁ ଜାହାଙ୍ଗୀର ରତନଜୀ ଦାଦାଭାଇ ଟାଟାଙ୍କର ୧୨୦ତମ ଜନ୍ମଜୟନ୍ତୀକୁ ଉତ୍ସାହର ସହ ପାଳନ କରାଯାଇଛି । ଭାରତୀୟ ବିମାନ ଚଳାଚଳ ସେବାର ଜନକ ତଥା ଟାଟା ଗ୍ରୁପର ସବୁଠାରୁ ଅଧିକ ସମୟ ଧରି ଅଧ୍ୟକ୍ଷ ଥିବା ଜେ.ଆର.ଡି ଟାଟା, ଟାଟା ଇଞ୍ଜିନିୟରିଂ ଆଣ୍ଡ୍ ଲୋକୋମୋଟିଭ୍ କମ୍ପାନୀ ତଥା ଅନ୍ୟ ପ୍ରମୁଖ ଟାଟା କମ୍ପାନୀର ମଧ୍ୟ ପ୍ରତିଷ୍ଠାତା ଥିଲେ ।
ଏହି ଜନ୍ମଜୟନ୍ତୀ ଉତ୍ସବ ଟିପିଏସ୍ଓଡିଏଲ୍ କର୍ପୋରେଟ୍ ଅଫିସ ସମେତ ଦକ୍ଷିଣ ଓଡ଼ିଶାରେ କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କର୍ପୋରେଟ୍ ଅଫିସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜେ.ଆର୍.ଡି ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାପରେ ଶ୍ରୀଗର୍ଗ ଜେ.ଆର୍.ଡି ଟାଟାଙ୍କର ଦୂରଦୃଷ୍ଟିସମ୍ପର୍ଣ୍ଣ ନେତୃତ୍ୱକୁ ପ୍ରଶଂସା କରିବା ସହ ତାଙ୍କର ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ମନ୍ତବ୍ୟ ରଖିଥିଲେ ।
ସେହିଭଳି କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଜେ.ଆର୍.ଡି ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଜେ.ଆର.ଡି ଟାଟା ସୃଷ୍ଟି କରିଥିବା ନୈତିକ ନେତୃତ୍ୱକୁ ସମ୍ମାନ ଜଣାଇ ଟାଟା କମ୍ପାନୀ ପକ୍ଷରୁ ଏହି ଦିନକୁ ନୈତିକତା ଦିବସ ଭାବେ ପାଳନ କରାଯାଉଛି । କମ୍ପାନୀ ନିଜର ସମସ୍ତ କାର୍ଯ୍ୟକ୍ଷେତ୍ରରେ ନୈତିକତାର ସର୍ବୋଚ୍ଚ ମାନଦଣ୍ଡକୁ ପ୍ରୋତ୍ସାହିତ କରୁଛି ।
ଏହି କ୍ରମରେ ଟିପିଏସ୍ଓଡିଏଲରେ ମଧ୍ୟ ନୈତିକତା ଦିବସ ପାଳିତ ହୋଇଛି । କମ୍ପାନୀ ପକ୍ଷରୁ ଜୟପୁରସ୍ଥିତ ଉତ୍କଳ ବାଳାଶ୍ରମରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ ହେବା ସହ ପିଲାମାନଙ୍କୁ ପାଠ୍ୟ ଉପକରଣ ଇତ୍ୟାଦି ଦିଆଯାଇଛି । କମ୍ପାନୀର ଏଭଳି ପଦକ୍ଷେପ, ଏହାର ନୈତିକ ମୂଲ୍ୟବୋଧ ପ୍ରତି ଥିବା ପ୍ରତିଶ୍ରୁତିବଦ୍ଧତାକୁ ପ୍ରମାଣିତ କରୁଛି ।