ବ୍ରହ୍ମପୁର, ମାର୍ଚ୍ଚ: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ଯୋଡ଼ିଙ୍ଗା ଏବଂ ଧୋଡ୍ରାଠାରେ ଦୁଇଟି ନୂତନ ପ୍ରାଇମେରୀ ସବଷ୍ଟେସନ (ପିଏସ୍ଏସ୍) କାର୍ଯ୍ୟକ୍ଷମ ହୋଇଛି। ଏହା ଉମରକୋଟ, ଝରିଗାଁ ଏବଂ ରାଇଘର ବ୍ଲକରେ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବ।
ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ ବିକାଶ, ନବରଙ୍ଗପୁର ମାନ୍ୟବର ସାଂସଦ ଶ୍ରୀ ବଳଭଦ୍ର ମାଝି ଏବଂ ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭତ୍ରା ଏହି ସବଷ୍ଟେସନକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ଜୟପୁର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ମନ୍ମଥ ନାଥ ମିଶ୍ର, ନବରଙ୍ଗପୁର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଅଶୋକ କୁମାର ରାଉତ ଏବଂ ଉମରକୋଟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ସ୍ୱରୂପ କୁମାର ପାତ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଦୁଇଟି ୫ ଏମଭିଏ କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର ଥିବା ଏହି ସବଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ବର୍ତ୍ତମାନ ରାଇଘର ପିଏସଏସ ଉପରେ ଥିବା ଲୋଡ୍ ହ୍ରାସ ପାଇବ। ଯାହା ଫଳରେ ଦଶ ହଜାରରୁ ଉର୍ଦ୍ଧ୍ୱ ଉପଭୋକ୍ତା ଗୁଣାତ୍ମକ ବିଜୁଳି ସେବା ଦ୍ଵାରା ଉପକୃତ ହୋଇପାରିବେ। ଏହାସହ ତୁରୁଢି ଏବଂ ପ୍ରାଚୀପଡ଼ାରେ ଦୁଇଟି ୧୧ କେଭି ଫିଡର୍ କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଅଞ୍ଚଳର ଭୋଲ୍ଟେଜ ସମସ୍ୟା ଦୂର ହୋଇଛି ଏବଂ ଲୋକେ ଉନ୍ନତ ମାନର ବିଦ୍ୟୁତ ସେବା ପାଇବେ। ତୁରୁଢି ଫିଡର ବର୍ତ୍ତମାନ ପ୍ରାୟ ୬ ହଜାର ଉପଭୋକ୍ତାଙ୍କୁ ସେବା ଯୋଗାଉଥିବା ବେଳେ ପ୍ରାଚୀପଡ଼ା ଫିଡର ୪ ହଜାରରୁ ଅଧିକ ଉପଭୋକ୍ତାଙ୍କୁ ବିଜୁଳି ସେବା ପ୍ରଦାନ କରୁଅଛି।
ସେହିଭଳି ଧୋଡ୍ରାଠାରେ କାର୍ଯ୍ୟକ୍ଷମ ହୋଇଥିବା ନୂତନ ପିଏସ୍ଏସ୍ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ଯୋଗାଣରେ ବିଶ୍ୱସନୀୟତା ବୃଦ୍ଧି ପାଇବ ଏବଂ ବର୍ଦ୍ଧିଷ୍ଣୁ ବିଜୁଳି ଚାହିଦା ପୂରଣ ହେବ। ଏହା ଦ୍ବାରା ପ୍ରାୟ ଦଶ ହଜାରରୁ ଅଧିକ ଉପଭୋକ୍ତା ଉପକୃତ ହେବେ।
ଏହି ଅବସରରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, "ଟିପିଏସ୍ଓଡିଏଲରେ ଆମେ ଦକ୍ଷିଣ ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ପ୍ରତିବଦ୍ଧ ରହିଛୁ। ନୂତନ ଭାବେ ସ୍ଥାପିତ ସବଷ୍ଟେସନ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ ସ୍ଥାନୀୟ ଅଞ୍ଚଳର ସାମାଜିକ ତଥା ଅର୍ଥନୈତିକ ବିକାଶରେ ସହାୟକ ହେବ।"
ଏସବୁ ପଦକ୍ଷେପ ବିଦ୍ୟୁତ ବିତରଣ ଭିତ୍ତିଭୂମିର ଉନ୍ନତିକରଣ ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ଦର୍ଶାଉଛି। ଯାହା ଫଳରେ ନବରଙ୍ଗପୁର ଜିଲ୍ଲାର ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଣ ସୁନିଶ୍ଚିତ ହୋଇପାରିଛି।