•ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି ଟିପିଏସ୍ଓଡିଏଲ୍
ବ୍ରହ୍ମପୁର:ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ (ଏମ୍.କେ.ସି.ଜି) ସମେତ ସିଟି ହସ୍ପିଟାଲକୁ ନିରନ୍ତର ତଥା ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଛି । କମ୍ପାନୀ ପକ୍ଷରୁ ଏହି ଦୁଇ ହସ୍ପିଟାଲକୁ ଭୂତଳ କେବୁଲ ଯୋଗେ ବିଜୁଳି ଯୋଗାଣ ନେଇ କାର୍ଯ୍ୟକ୍ରମ ଜାରି ରହିଛି। ବିପର୍ଯ୍ୟୟ ପରିସ୍ଥିତିରେ ସ୍ୱାସ୍ଥ୍ୟଜନିତ ଜରୁରୀକାଳୀନ ସେବା ଯେଭଳି ପ୍ରଭାବିତ ନହୁଏ, ତାହାକୁ ପ୍ରାଥମିକତା ଦେଇ କମ୍ପାନୀ ଏହି ଭିତ୍ତିଭୂମି ବିକାଶ କାର୍ଯ୍ୟ କରୁଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ବିନିଯୋଗରେ ଏହି ଭୂତଳ କେବୁଲିଂ କାର୍ଯ୍ୟ କରାଯାଉଛି ।
ଭୂତଳ କେବୁଲିଂ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ, ପ୍ରାକୃତିକ ବିପର୍ଯ୍ୟୟ ତଥା ଭିତ୍ତିଭୂମି ରକ୍ଷଣାବେକ୍ଷଣ କାର୍ଯ୍ୟ ସମୟରେ ହସ୍ପିଟାଲର ବିଜୁଳି ସେବା ପ୍ରଭାବିତ ହେବ ନାହିଁ । ଯାହା ଫଳରେ ରୋଗୀମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ମିଳିପାରିବ । ଏହାସହ ଏକାଧିକ ଉତ୍ସରୁ ବିଜୁଳି ଯୋଗାଣର ବିକଳ୍ପକୁ ହସ୍ପିଟାଲ୍ ନିମନ୍ତେ ପ୍ରସ୍ତୁତ ରଖାଯାଇଛି । ଯେପରି ସବୁ ପରିସ୍ଥିତିରେ ହସ୍ପିଟାଲକୁ ବିଜୁଳି ସେବା ସୁନିଶ୍ଚିତ ହୋଇପାରିବ । ସୂଚନା ଅନୁଯାୟୀ, ବ୍ରହ୍ମପୁର ନରେନ୍ଦ୍ରପୁର ଗ୍ରୀଡ୍ ରୁ ନୂଆ ମେଡିକାଲ ପ୍ରାଥମିକ ସବଷ୍ଟେସନ ମଧ୍ୟରେ ଏକ ୩୩ କେଭି ଭୂତଳ ବିଦ୍ୟୁତ ତାର ଟଣାଯାଉଛି। ସଂପୃକ୍ତ ୩୩ କେଭି ଲାଇନ୍ ରୁ ୨ଟି ୧୧ କେଭି ଫିଡର୍ କୁ ନିରନ୍ତର ବିଜୁଳି ସେବା ମିଳିବ । ଗୋଟିଏ ଫିଡର୍ ଲାଇନ୍ ନୂଆ ମେଡିକାଲ ସବଷ୍ଟେସନରୁ ଏମ୍ କେ ସି ଜିକୁ ଅନ୍ୟଟି ପୁରୁଣା ମେଡିକାଲ ସବଷ୍ଟେସନରୁ ସିଟି ହସ୍ପିଟାଲକୁ ବିଜୁଳି ସେବା ଯୋଗାଇବ । ଏଣୁ ଉଭୟ ୩୩ କେଭି ଓ ୧୧ କେଭି ଫିଡରଗୁଡ଼ିକର ଭୂତଳ କେବୁଲିଂ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରହିଛି । ସେହିଭଳି ଏହି ପ୍ରକଳ୍ପ ଅଧିନରେ ସମୁଦାୟ ୮ କିଲୋମିଟରର ୩୩ କେଭି ଭୂତଳ କେବୁଲ ଓ ୫.୫ କିଲୋମିଟରର ୧୧ କେଭି କେବୁଲ ବିଛାଇବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଟିପିଏସ୍ଓଡିଏଲ୍ ଯଥାକ୍ରମେ ୨.୯ କିଲୋମିଟର ଓ ୨.୧୭୫ କିଲୋମିଟରର କେବୁଲ୍ ବିଛାଇଛି ।
ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ଦକ୍ଷିଣ ଓଡ଼ିଶାରେ ଗୁଣାତ୍ମକ ତଥା ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବା କମ୍ପାନୀର ପ୍ରଧାନ ଲକ୍ଷ୍ୟ । ସେହିଭଳି ବ୍ରହ୍ମପୁର ସହରରେ ଥିବା ଏମ୍.କେ.ସି.ଜି ଓ ସିଟି ହସ୍ପିଟାଲକୁ ନିରନ୍ତର ବିଜୁଳି ଯୋଗାଣ ହୋଇପାରିଲେ ସ୍ୱାସ୍ଥ୍ୟ ସେବା ଅଧିକ ଦୃଢ଼ ହୋଇପାରିବ । ଏହାକୁ ପ୍ରାଧ୍ୟାନ୍ୟ ଦେଇ କମ୍ପାନୀ ସେଠାରେ ବିପର୍ଯ୍ୟୟ ନିରୋଧୀ ବିଜୁଳି ଭିତ୍ତିଭୂମି ପ୍ରସ୍ତୁତ କରୁଛି । କମ୍ପାନୀର କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ କାମ କରି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ପ୍ରୟାସ କରୁଛନ୍ତି ।“
କେବଳ ଏମକେସିଜି ପରିସରରେ ୧୯ଟି ପୃଥକ ପୃଥକ ଟ୍ରାନ୍ସଫର୍ମର ରହିଥିବା ବେଳେ ଏହି ଟ୍ରାନ୍ସଫର୍ମରଗୁଡ଼ିକ ହସ୍ପିଟାଲର ବିଭିନ୍ନ ୟୁନିଟ୍ ତଥା ବିଭାଗକୁ ବିଜୁଳି ସେବା ଯୋଗାଉଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ୱାରା ଦକ୍ଷିଣ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ଅଧିକ ସଶକ୍ତ ହେବା ସହ ରୋଗୀଙ୍କୁ ୨୪ ଘଣ୍ଟିଆ ବିଜୁଳି ସେବା ମିଳିବ । ଟିପିଏସ୍ଓଡିଏଲ୍ ସ୍ୱାସ୍ଥ୍ୟ ଭଳି ଜରୁରୀକାଳୀନ ସେବା କ୍ଷେତ୍ରରେ ନିରନ୍ତର ବିଜୁଳି ଯୋଗାଣ ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ଏହି ଭୂତଳ କେବୁଲିଂ ପ୍ରକଳ୍ପ କାର୍ଯ୍ୟ ଗୁଣାତ୍ମକ ବିଜୁଳି ଯୋଗାଣ କ୍ଷେତ୍ରରେ କମ୍ପାନୀର ପ୍ରତିବଦ୍ଧତାକୁ ପ୍ରମାଣ କରୁଛି ।