ମିଡିଆ

ଏବେ ହାତ ପାହାନ୍ତାରେ ସଫଳତା: ଯୋଗୀନ୍ଦ୍ରଙ୍କ ସଂଘର୍ଷ ଓ ସଫଳତାର କାହାଣୀ

ଏବେ ହାତ ପାହାନ୍ତାରେ ସଫଳତା: ଯୋଗୀନ୍ଦ୍ରଙ୍କ ସଂଘର୍ଷ ଓ ସଫଳତାର କାହାଣୀ

ଏକ ବର୍ଷରୁ କମ୍ ସମୟରେ ଟିପିଏସ୍ଓଡିଏଲ ଧନ୍ଦାମୂଳକ ତାଲିମ କେନ୍ଦ୍ରକୁ ବଡ଼ ସଫଳତା

ଗୁଣାତ୍ମକ ଧନ୍ଦାମୂଳକ ପ୍ରଶିକ୍ଷଣ ବଳରେ ୫୯ ଜଣଙ୍କୁ ମିଳିଛି ନିଯୁକ୍ତି

ସଫଳତା କାହାଣୀ ବଖାଣିଲେ ଯୋଗୀନ୍ଦ୍ର

ବ୍ରହ୍ମପୁର:ସମୟ ଥିଲା ପ୍ରତିକୂଳ। ରାସ୍ତା ଥିଲା କଷ୍ଟକର। କିନ୍ତୁ, ପ୍ରତିକୂଳ ସୁଅର ବିପରୀତରେ ଯାଇ ଏବେ ସଫଳତା ରାସ୍ତାର ଯାତ୍ରୀ ଯୋଗୀନ୍ଦ୍ର। ଦୂରନ୍ତ ଲାଗୁଥିବା ସ୍ବପ୍ନ ଗୁଡ଼ିକ ଯେମିତି ସାକାର ରୂପ ନେଇଛି, ଆଉ ବଦଳିଛି ଘରର ପରିସ୍ଥିତି। ହିଞ୍ଜିଳିକାଟୁ ଅଞ୍ଚଳର ଯୋଗୀନ୍ଦ୍ର କହିଛନ୍ତି, ଅଭାବ ମୋ ସ୍ଵପ୍ନ ପୂରଣ ଦିଗରେ ସବୁଠାରୁ ବଡ଼ ବାଧକ ଥିଲା। ବାପା ଜଣେ ଚାଷୀ ମାତ୍ର ଶାରୀରିକ ଅସୁସ୍ଥତା କାରଣରୁ ସେ ଚାଷ କାମ ଛାଡି ସାରିଥିଲେ। ତିନି ଭଉଣୀ, ସାନ ଭାଇ ଓ ମା ବାପାଙ୍କ ପ୍ରତିପୋଷଣ ଦାୟିତ୍ୱ ମୋ ଉପରେ ଥିଲେ ସୁଦ୍ଧା ଚାକିରୀ ନଥିବାରୁ ମୁଁ ଘରେ ବସିଥିଲି। ତେବେ ଫିଟର ଆଇଟିଆଇ ପ୍ରମାଣପତ୍ର ଥିବା ସତ୍ୱେ ମଧ୍ୟ ମୋତେ ଚାକିରୀ ମିଳୁନଥିଲା । ଏହାପରେ ସୌଭାଗ୍ୟବଶତଃ ମୁଁ ଟିପିଏସ୍ଓଡିଏଲ୍ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ତାଲିମ ନେବାର ସୁଯୋଗ ପାଇଲି। ତାଲିମ ପରେ ମୋତେ ନିଯୁକ୍ତି ମଧ୍ୟ ମିଳିଲା । ମୁଁ ମୋ ସଫଳତାର ଏକ ବଡ ଶ୍ରେୟ ତାଲିମ କେନ୍ଦ୍ରକୁ ଦେଉଛି ।

ତାଲିମ ନେଇ ବିଶାଖାପାଟଣାସ୍ଥିତ ଏଲ ଆଣ୍ଡ ଟି କମ୍ପାନୀରେ ଆସିଷ୍ଟାଣ୍ଟ ୱେଲଡର ଭାବେ ନୂଆ କରି ନିଯୁକ୍ତି ପାଇଥିବା ଯୋଗୀନ୍ଦ୍ର ଦାସ ଟିପିଏସ୍ଓଡିଏଲ୍ ଧନ୍ଦାମୂଳକ ତାଲିମ କେନ୍ଦ୍ରକୁ ନିଜ ସଫଳତାର ସମସ୍ତ ଶ୍ରେୟ ଦେଇଛନ୍ତି।

ତେବେ କେବଳ ଯୋଗୀନ୍ଦ୍ର ଦାସ ନୁହଁନ୍ତି ଏକ ବର୍ଷରୁ କମ ସମୟ ମଧ୍ୟରେ ତାଙ୍କ ଭଳି ୫୯ ଜଣଙ୍କୁ ତାଲିମ ସହ ନିଯୁକ୍ତି ଦେବାରେ ସଫଳ ହୋଇଛି ଟିପିଏସ୍ଓଡିଏଲ୍ । ଏହାସହ ସମ୍ପ୍ରତି ତାଲିମ କେନ୍ଦ୍ରରେ ୩୯ ଜଣ ଯୁବକ ଓ ଯୁବତୀ ତାଲିମ ନେଉଛନ୍ତି । ଏକ ନୂଆ ବ୍ୟାଚର ପଞ୍ଜିକରଣ ମଧ୍ୟ ଜାରି ରହିଛି ।

ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗଞ୍ଜାମ ଜିଲ୍ଲା ଆସ୍କାଠାରେ ପ୍ରତିଷ୍ଠା ହୋଇଥିବା ନୂଆ ଧନ୍ଦାମୂଳକ ତାଲିମ କେନ୍ଦ୍ର ଏକ ବର୍ଷରୁ କମ ସମୟ ମଧ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି । ଶିକ୍ଷିତ ତଥା ଦକ୍ଷ ଯୁବ ଗୋଷ୍ଠୀଙ୍କୁ ତାଲିମ ପ୍ରଦାନ କରିବା ସହ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଆର୍ଥିକ ତଥା ସାମାଜିକ ସ୍ତରରେ ପଛୁଆ ଥିବା ଯୁବଗୋଷ୍ଠୀମାନଙ୍କୁ କର୍ମ ନିଯୁକ୍ତି ଦେବା କ୍ଷେତ୍ରରେ ଟିପିଏସ୍ଓଡିଏଲର ଏହି ଅଭିନବ ଉଦ୍ୟମକୁ ସବୁ ବର୍ଗରେ ପ୍ରଶଂସା କରାଯାଉଛି । ଟିପିଏସ୍ଓଡିଏଲର ଏହି ଧନ୍ଦାମୂଳକ ତାଲିମ କେନ୍ଦ୍ର ଜାତୀୟ ଦକ୍ଷତା ବିକାଶ ନିଗମ ସହ ଅନୁବନ୍ଧିତ ହୋଇଥିବା ବେଳେ ଉଭୟ ପ୍ରାକ୍ଟିକାଲ ଓ ଥିଓରୀ ତାଲିମ ଉପରେ ଗୁରୁତ୍ୱ ଦେଉଛି।

ଅତ୍ୟାଧୁନିକ ଓ ସମୟ ଉପଯୋଗୀ ପ୍ରଶିକ୍ଷଣ କାରଣରୁ ତାଲିମପ୍ରାପ୍ତ ଯୁବଗୋଷ୍ଠୀଙ୍କୁ ସହଜରେ ନିଯୁକ୍ତି ମିଳିପାରୁଛି। ସେହିଭଳି ଦକ୍ଷିଣ ଓଡ଼ିଶାର ପାଖାପାଖି ୨ ଶହ ଗ୍ରାମର ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେବା ଉଦେଶ୍ୟରେ କମ୍ପାନୀ ପକ୍ଷରୁ ଏହି ତାମିଲ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ପ୍ରଥମେ ଗ୍ରାମାଞ୍ଚଳଗୁଡିକରେ ତାଲିମ ତଥା ନିଯୁକ୍ତି ମେଳାର ଆୟୋଜନ କରାଯାଇ ଦକ୍ଷ ଯୁବଗୋଷ୍ଠୀଙ୍କୁ ଚୟନ କରାଯାଉଛି। ଏହାପରେ ତାଲିମ ସମ୍ପର୍କରେ ସୂଚନା ପ୍ରଦାନ କରାଯିବା ସହ କାର୍ଯ୍ୟ କ୍ଷେତ୍ରରେ ଥିବା ସୁଯୋଗ ସମ୍ପର୍କରେ ଅବଗତ କରାଯାଇ ୪୫ ଦିନିଆ ତାଲିମ ପ୍ରଦାନ କରାଯାଉଛି।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ କହିଛନ୍ତି ଯେ, ଯୋଗୀନ୍ଦ୍ର ଓ ତାଙ୍କ ଭଳି ଯୁବଗୋଷ୍ଠୀମାନେ ଜୀବନର ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆଗକୁ ବଢ଼ିପାରିଛନ୍ତି। ଟିପିଏସ୍ଓଡିଏଲର ଧନ୍ଦାମୂଳକ ତାଲିମ କେନ୍ଦ୍ର ସହ ଯୋଡ଼ି ହୋଇ କର୍ମନିଯୁକ୍ତ ହୋଇପାରିଛନ୍ତି । ଏହା ଅତ୍ୟନ୍ତ ଆତ୍ମସନ୍ତୋଷ ପ୍ରସଙ୍ଗ। ଯୁବଗୋଷ୍ଠୀଙ୍କୁ ତାଲିମ ଓ ନିଯୁକ୍ତି ସୁଯୋଗ ଯୋଗାଇଦେବା କ୍ଷେତ୍ରରେ ଆମେ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛୁ। ସେମାନଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ଦିଗରେ କମ୍ପାନୀ ଏକ ପଥ ପ୍ରଦର୍ଶକର ଭୂମିକା ସମ୍ପାଦନ କରୁଛି ।